Aans

ଅଂଶ
"""""""""""""""""""""""

            ଗାଡ଼ି ଚଲଉଥାଏ ନେହା । ଆଉ ପଛରେ ବସି ସମସ୍ତ ସାଇନ୍ ବୋର୍ଡକୁ ଚାହିଁ ଚାହିଁ ଚାଲିଥାଏ ନୀତା । ପାନ୍ଥନିବାସ ପାଖ ଗଳିରେ କିଛି ବାଟ ଯିବା ପରେ ନୀତା କହିଲା, ''ହଁ ହଁ ଏଇଠି  ରଖ ।''
              ଦରଓ୍ବାନ ଠିଆ ହୋଇଥିବା  ବିରାଟ କଳା ଗେଟ୍ ପାଖରେ ଓଲ୍ହାଇ ସେମାନେ ନିଜର ପରିଚୟ ପତ୍ର ଦେଖାଇ ଭିତରକୁ ପ୍ରବେଶ କଲେ । କିଛି ସମୟ ଅପେକ୍ଷା କରିବା ପରେ ସୁପରିନ୍ଟେଣ୍ଡେଣ୍ଟ  ମାଡମଙ୍କ ସହ ତାଙ୍କର ସାକ୍ଷାତ ହେଲା ।ପରିଚୟ ପ୍ରଦାନ ପୂର୍ବକ ନୀତା କହିଲା,
- ମାଡମ୍ ମୁଁ ନୀତା ଆଚାର୍ଯ୍ୟ । ସେ ମୋର ସହପାଠୀ ନେହା  ।
ଆମେ ସୋସିଓଲୋଜିରେ ଏମ୍ ଫିଲ୍  କରୁଛୁ ।  ମୁଁ ମୋର ଡିସର୍ଟେସନ୍ ପେପର୍ ପାଇଁ ବିଷୟ ନେଇଛି 'ଲାଇଫ୍ ଇନ୍ ଓଲ୍ଡ ଏଜ୍ ହୋମ୍' । ସେଥିପାଇଁ ହିଁ ଆମେ ଏହି ବୃଦ୍ଧାଶ୍ରମକୁ ଆସିଛୁ । ଏଠାକାର  ଅନ୍ତେବାସୀ ମାନଙ୍କ ସହ ଆଳାପ ଆଲୋଚନା କରି କିଛି ତଥ୍ୟ ସଂଗ୍ରହ କରିବା  ମୋର ଉଦ୍ଦେଶ୍ୟ ।ଏଥିପାଇଁ ଆପଣଙ୍କ ଅନୁମତି ଆବଶ୍ୟକ ।ଏସବୁ ଲିଖିତ ଭାବେ ଉକ୍ତ ଦରଖାସ୍ତ ରେ ଅଛି ,ନିଅନ୍ତୁ ମାଡମ୍ ।

ଦରଖାସ୍ତ ଟି ଉପରେ ଆଖି ବୁଲାଲ ଦେଇ ମାଡମ୍ କହିଲେ,
-  ଓକେ, ନାଇସ୍ ଜବ୍ । ଆମେ ଏଥିପାଇଁ ଆପଣଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ଦେବୁ । ହଁ , କିଛି ରୋଗୀ ଓ ମାନସିକ ବିକାରଗ୍ରସ୍ତ ବୟସ୍କଙ୍କ ବ୍ୟତୀତ   ଆପଣ ଅନ୍ୟମାନଙ୍କ ସହ ସାକ୍ଷାତ କରି ପାରିବେ । ତେବେ ସୁଖର କଥା ଏହିକି ଯେ ଏହି ଜରା ନିବାସର ବୟୋଜ୍ୟେଷ୍ଠା ବୄଦ୍ଧା ଏବେବି ସୁସ୍ଥ ମସ୍ତିଷ୍କରେ ଅଛନ୍ତି। ଆପଣ ତାଙ୍କ ଠାରୁ ଅଧିକ ତଥ୍ୟ ପାଇ ପାରନ୍ତି ।

"ଓକେ ,ଥାଙ୍କ୍ ୟୁ ''କହି ନୀତା ଓ ନେହା ସେଠାରୁ ବିଦାୟ ନେଲେ  ଓ ଜରାଶ୍ରମର କୋଣାନୁକୋଣ ବୁଲି ଦେଖିଲେ ।ସେମାନେ ଚାଲି ଯାଉ ଯାଉ ଲାଗୁଥିଲା ଯେମିତି ମରୁଭୂମିର ବାଲିଚର ଭିତରେ ସଂଚରି ଯାଉଛି ସବୁଯିମା ,ଫିଟି ପଡୁଚି ଶୁଷ୍କ ମରୁରେ ସଦ୍ଯ ଗୋଲାପର ବାସ । ନିଜ କୋଠରୀରୁ  ଉଙ୍କି ମାରି ଅନ୍ତେବାସୀ ମାନେ ଚାହୁଁଥାନ୍ତି  ସେହି ପ୍ରଷ୍ଫୁଟିତ ନବ କଳିକାଙ୍କୁ ।

         ପରଦିନ ଏକା ଆସିଥିଲା ନୀତା । କାହାକୁ ଜେଜେ କହାକୁ ଅଜା କହି ପ୍ରତ୍ଯେକଙ୍କ ସହ ସାକ୍ଷାତ କରୁଥିଲା ନୀତା ।ହସହସ ମୁହଁ ଓ ମେଳାପୀ ପ୍ରକୄତି ହିଁ ତାର ଚରିତ୍ରର ବିଶେଷତ୍ବ । ପର୍ଯ୍ୟାୟ କ୍ରମରେ ସେ ପହଞ୍ଚିଲା  ଆଶ୍ରମର ବୟୋଜ୍ଯେଷ୍ଠା ସାରଦା ଦେବୀଙ୍କ ନିକଟରେ ।ଲୋଳିତ ଚର୍ମ ,ଗଳିତ ଦନ୍ତପନ୍ତି ,ପଳିତ କେଶ ଆଉ କୁଞ୍ଚିତ ଅଙ୍ଗରେଖା   ମଧ୍ୟରେ ବି ଚମକି ଉଠୁଥିଲା ତାଙ୍କର ଆଖି ଦୁଇଟି ନୀତାକୁ ଦେଖି ।
ନୀତା ପ୍ରଣାମ କରୁ କରୁ  ସ୍ନେହ ରେ ବାତ୍ସଲ୍ଯରେ  ଆଉଁସି ପକେଇଲେ ନୀତାର ମୁଣ୍ଡକୁ ।ପାଖରେ ବସାଇ ସେ ଡବ ଡବ କରି ଚାହିଁ ଥାଆନ୍ତି ନୀତାର ମୁହଁକୁ ।ନୀତା ପଚାରୁଥିଲା,

- କଣ ଖାଇଛ,ସପ୍ତାହରେ ଆଉ କଣ ସବୁ ଦିଆଯାଉଛି,ଦେହ ଖରାପ ହେଲେ ଔଷଧ  ଠିକ୍ ସମୟରେ ମଳୁଛି ତ, କେଉଁ ଆଡେ ବୁଲିବାକୁ ଯାଅ କି ?

ଏମିତି ଅନେକ ପ୍ରଶ୍ନ ଭିତରେ ସେ ପଚାରିଦେଲା, "ତୁମର ତୁମ ଘର କଥା ମନେ ପଡେନି ?"ନୀତାର ପ୍ରଶ୍ନରେ ବୄଦ୍ଧାଙ୍କ ଉଜ୍ଜ୍ଵଳ ମୁଖମଣ୍ଡଳଟା ମେଘମେଦୁର ଆକାଶ ପରି ପାଣ୍ଡୁର ଦିଶିଲା ।ନୀତା ଲକ୍ଷ କରୁଥିଲା ,ବିଦୀର୍ଣ୍ଣ ହୄଦୟର ଉଷ୍ଣ ଲହୁ ପୋଷେ ଯେମିତି ଆଖି ଉପତ୍ଯାକାରେ ବୋହି ଯାଉଛି ଲୁହ ହୋଇ ।
- ଥାଉ ମା , ମୋର ବୋଧହୁଏ ଏପରି ପଚାରିବାର ନଥିଲା ।
ଏକ ଅସ୍ବାଭାବିକ ପରିସ୍ଥିତି କୁ ଏଡି ନୀତା ସେଦିନ ଫେରି ଆସିଥିଲା ,ମାତ୍ର ସାରଦାଙ୍କର ଲୁହ ପଛରେ ଲୁଚି ଥିବା କାହାଣୀ କୁ ଖୋଜି ହେଉଥିଲା ମନେମନେ ।

             ପିଲାବେଳୁ ନୀତାର ଜେଜେମା ନାହାନ୍ତି ।ଜେଜେମା କୋଳର ଉଷୁମ , ଗପର ପେଡି, ସ୍ନେହ ଲତପତ ଗେଲ୍ହାପଣ ଅନୁଭବ କରିବାର ସୁଯୋଗ ଜୁଟିନି ତା ଭାଗ୍ଯରେ ,ସାରଦାଙ୍କୁ ଦେଖିବା ପରେ ସେ ମାନସପଟଳରେ ସେହିପରି ଆଙ୍କି ବାରେ ଲାଗଛି  ନିଜ ଜେଜେମାର ଛବି ।

          ପରଦିନ ପୁଣି ଖାତା ପତ୍ର ଧରି ନୀତା ଚାଲିଗଲା ଜରାଶ୍ରମକୁ। ନିଜର ଅନ୍ଯାନ୍ଯ କାମ ସାରି  ପୁଣି ସାରଦା ମା ଙ୍କୁ ଦେଖା କରିବାକୁ ଇଚ୍ଛା କଲା । ନୀତା କୁ ଦେଖି  ଉଲ୍ଲସିତ ଭାବରେ ବୄଦ୍ଧା , ନଇଁ ଆସିଥିବା ଅଣ୍ଟାରେ ଲୁଗାଟା ଭିଡିଦେଇ ଧାଇଁ ଗଲେ ଘରର ଗୋଟିଏ କୋଣକୁ, ଆଉ ଫେରିଆସି କହିଲେ,
- ନେ...ମହାପ୍ରସାଦ ଟିକିଏ ରଖିଥିଲି  ତୋ ପାଇଁ , ପାଇ ଦେ ।ସାରଦାଙ୍କ ଆତ୍ମୀୟତାରେ ବିଭୋର ହେଉଥିଲା ନୀତା । କିନ୍ତୁ ଏତେ ସ୍ନହୀ ମଣିଷଟିଏ  ଏହି ଜରା ନିବାସରେ କେମିତି, ପ୍ରଶ୍ନର ଭଉଁରୀରେ  ଅସ୍ତବ୍ଯସ୍ତ ହେଉଥିବା ବେଳେ ସାରଦା ପଚାରିଲେ,

 - ତମ ଘର କୋଉଠିରେ ମା' ?
- ଆମ ଘର ନୟାପଲ୍ଲୀ , ଏଇ ଭୁବନେଶ୍ୱରରେ । ହେଲେ ଆମ ବାବାଙ୍କର ଗାଁ ଅଛି । ରାମଚନ୍ଦ୍ରପୁର ବୋଲି ଶୁଣିଛି । କେବେ ଯାଇନି ।

ହଠାତ୍ ବଜ୍ରାଘାତ ପରି ଚମକି ପଡିଲେ ସାରଦା ।ପୁରୁଣା ଘା' ଟା ଉଖାରି ହୋଇଗଲା ଯେମିତି ।ସାରଦାଙ୍କ ପ୍ରତିକ୍ରିୟା ଦେଖି ନୀତା ଅଧିକ ବ୍ଯଗ୍ର  ହୋଇ ପଚାରିଲା,
- କଣ ହେଲା ? ତମେ ସେହି ଗାଁ ସହ ପରିଚିତ ? କେହି ସମ୍ପର୍କୀୟ ଅଛନ୍ତି ସେଠାରେ ?

ଏଥର କୋହର ବନ୍ଧ ବାଡ  ଡେଇଁ ଲୁହର ବନ୍ଯା ଛୁଟିଲା  ସାରଦାଙ୍କ ଆଖିରେ ।ଜଉ ମୁଦ ଦେଇ ରଖିଥିବା ସ୍ମୃତିର ସିନ୍ଧୁକଟା ଅନ୍ତର୍ଦାହର ଆଘତରେ ସହଜରେ ଖୋଲି ଗଲା  ନୀତା ଆଗରେ। ତାଙ୍କ ଅତୀତର ସାରାଂଶ ଥିଲା ନିମ୍ନମତେ ।

               ସାରଦା  ନାଲିଆ ପାଟ ପିନ୍ଧି ସାଧବ ବୋହୂ ସାଜି ସେହି ଗାଁ ର ମାଟିକୁ  ପ୍ରଥମେ ଛୁଇଁ ଥିଲେ  ଆଚାର୍ଯ୍ୟ ପରିବାର ର କୁଳବଧୂ ରୂପେ । ଶ୍ବଶୁର କହୁଥିଲେ ସେ ଭାରି ଲକ୍ଷ୍ମୀମନ୍ତ ।ତେଣୁ ସବୁ ଅନୁକୂଳ ତାଙ୍କରି ହାତରୁ ହେଉଥିଲା ।ଆଚାର୍ଯ୍ୟ ପରିବାରର ଥିଲା ଅଚଳାଚଳ ସମ୍ପତ୍ତି, ବାଟିବାଟି ଜମି, ଶହଶହ ଆମ୍ବ,ପଣସ,ଗୁଆ ,ନଡ଼ିଆ ଗଛ,ଏକର ଏକର ଫଳ ପରିବା ଚାଷ ଇତ୍ୟାଦି । କୁଳବଧୂ ରୂପେ ସମସ୍ତ ଐଶ୍ଵର୍ଯ୍ଯ ଓ ପ୍ରତିପତ୍ତିର ଅଧିକାରିଣୀ ସାରଦାଙ୍କ ସାଂସାରିକ ଜୀବନ ମଧ୍ଯ ବେଶ୍ ପରିପୂର୍ଣ୍ଣ ଥିଲା । ସ୍ବାମୀ ,ଶାଶୁ,ଶ୍ବଶୁର,ନଣନ୍ଦ,ଦିଅର,ପୁତୁରା,ଝିଆରୀ,, ରଇତ, ହଳିଆ, ଚାକର, ପୂଜାରୀ ତଥା ନିଜ ପାଞ୍ଚ ପିଲାଙ୍କ ଗହଳିରେ ଫାଟିପଡୁଥିଲା ତାଙ୍କ ଘର ଅଗଣା ।ପୂନିଅ ପରବ, ପିଠା ପଣା, ଲିପାପୋଛା, ଝୋଟି ଆଲିମ୍ପନ ଏ ସମସ୍ତ ଥିଲା ତାଙ୍କ ଓଢଣା ତଳ ଜୀବନ ପରିଧିର ନିୟମିତ ଚର୍ଯ୍ଯା । ସାରଦା ଭାବିଥିଲେ ଜୀବନଟା ଏମିତି କୋଳାହଳମୟ , ଆଉ ସେହି ଘରୁ ତାଙ୍କର କୋକେଇ ଉଠିବା ଯାଏଁ  ସମୟଟା ଚାଲି ଥିବ  ସେଇମିତି ସମାନ ତାଳରେ  ।

                    ଧୀରେ ଧୀରେ ଶାଶୁ  ଶ୍ବଶୁର ଆଦି ସଂସାର ରୁ ବିଦାୟ ନେଲେ, ପିଲାମାନେ ବଡ ହେଲେ ।ପିଲାମାନଙ୍କର ପାଠପଢା , ବ୍ଯବସାୟ , ଝିଅ ବିଭା,ପୁଅ ବିଭା ଏମିତି ସମସ୍ତ ଜଞ୍ଜାଳ ତୁଟାଇବା ଭିତରେ ହଠାତ୍ ତୁଟିଗଲା ସାରଦାଙ୍କ ଶଙ୍ଖା, ଲିଭିଗଲା ସିନ୍ଦୂର,ହଜିଗଲା ଶିରୀ ।ତା' ପରେ ସହଜ ଓ ସରଳ ମନେକରୁଥିବା ଜୀବନର ଗତିପଥରେ ଦଖାଦେଲା ଏକ ସ୍ପଷ୍ଟ ବକ୍ରରେଖା  । ସବୁ ବଳ ଆଉ ସଂସାର ଚଳାଇବାର କଳା ଯେମିତି ତାଙ୍କଠାରୁ ହରଣ କରି ନେଇ ଯାଇଛନ୍ତି ସ୍ବାମୀ ।ଗୋଟିଏ ସୂତ୍ରରେ ପିଲା ମାନଙ୍କୁ ବାନ୍ଧି ରଖିବା ଆଉ ସମ୍ଭବ ହେଲାନି ତାଙ୍କ  ପକ୍ଷେ ।

ବଡ଼ ପୁଅ ନିଜ ପିଲାଙ୍କ ପାଠପଢ଼ା ପାଇଁ ସହରକୁ ଚାଲିଗଲା । ସାନପୁଅ ଇଞ୍ଜିନିୟର ହୋଇ ଦୂରରେ ଚାକିରୀ କରିଲା ।ମଝିଆଁ ପୁଅ ଗାଁ ରେ ରହି ଜମିଜମା କଥା ବୁଝୁଥିଲା ସତ, ମାତ୍ର ସେ ଜାଣିଥିଲା , ପୈତୃକ ସମ୍ପତ୍ତିକୁ ବସିଖାଇଲେ ବି ସାତ ପୁରୁଷ ଚଳିଯିବ । ତେଣୁ ସେ ଜୀବନକୁ ଉପଭୋଗ କରି ମଦ ପିଇ ମାତାଲ୍ ହେବାକୁ ଲାଗିଲା । ସ୍ବାମୀଙ୍କ କଷ୍ଟାର୍ଜିତ ସମ୍ପତ୍ତି ସବୁ କ୍ରମଶଃ ଯତ୍ନ ଓ ଶ୍ରମ ଅଭାବରୁ କ୍ଷୟ ହୋଇଯିବାଟା ବରଦାସ୍ତ କରିପାରୁନଥିଲେ ସାରଦା ।ମଦ୍ଯପ ପୁଅକୁ ବୁଝାଇବାକୁ ଯାଇ ଅନେକ ଥର ଅପଦସ୍ତ ହୁଅନ୍ତି ସେ ।ପରିସ୍ଥିତିର ଚରମ ଅବସ୍ଥାରେ ପୁଅ ଯେତେବେଳେ ତଙ୍କୁ ନିର୍ଘାତ ମାଡ ମାରିଲା, ପରମ ଦୁଃଖ, ଗ୍ଲାନି ଓ ଅପମାନରେ ସେ ଗାଁ ଛାଡି ଚାଲିଆସିଲେ ବଡପୁଅ ଘରକୁ ।

                   ଦୁଇ ଦିନ କୁଣିଆର ଆଦର ପରି  ବେଶ୍ କିଛି ଦିନ ଆଦରଯତ୍ନ ଦେଖାଇବା ପରେ  ବଡବୋହୂ ଦେଖାଇ ଶିଖାଇ କହିବାକୁ ଲାଗିଲା ।ତାଙ୍କ ରୋଜଗାରରେ ଭାଗ ବସାଉଥିବା ଆଗନ୍ତୁକଟିଏ ଯେପରି ସେ ।ବଡ଼ପୁଅର ନିରବତାରେ ଛତି ବିଦୀର୍ଣ୍ଣ ହୋଇ ପଡ଼ିଲା ତାଙ୍କର ।ସାରା ପରିବାରର ପେଟ ଭରଣା ପାଇଁ  ସେ ଦିନ ରାତି ଖଟିଥିଲେ, ଆଜି ପେଟ ଚାଖଣ୍ଡେ ପାଇଁ ବୋଝ ହୋଇଗଲେ ପୁଅ ପାଖରେ !!

          ବୁଲିବାକୁ ଆସି ବଡଝିଅ ସାଙ୍ଗରେ ନେଇଘଲା ତାଙ୍କୁ । ଆଠଦିନ ଯାଗାରେ ଆଠମାସ ରହିବା ପରେ ବି କେହି ପୁଅ ତାଙ୍କର ଖବର ଥରଟିଏ ବି ବୁଝିଲେନି , ଘରକୁ ଡାକିବା ତ ଦୂରର କଥା । ସାନଝିଅ ଥରଟିଏ ଡାକିନେଲା, ହେଲେ ପନ୍ଦର ଦିନରେ ପୁଣି ବଡ ଭଉଣୀ ଘରେ ଛାଡି ଦେଇ ଗଲା।ଏତେ ଜମଦାରୀ, ପ୍ରତିପତ୍ତି ,ଘରବାଡି ଥାଉ ଥାଉ ସେ ଯେ ବାର ଦୁଆର ଶୁଣ୍ଢିପିଣ୍ଡା ହେବେ ଏକଥା କେବେ କଳନା କରି ନଥିଲେ ସାରଦା ।
         ଦିନେ ବଡଝିଅ ଦେଖିଲା, ବୋଉ ଦେହରେ ପ୍ରବଳ ଜ୍ବର।ଔଷଧ ପାଣିପଟି   ଦେବା ସତ୍ତ୍ବେ ଜ୍ବର ନକମିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇ ସମସ୍ତଙ୍କୁ ଖବର ଦେଲା ବଡଝିଅ । ସେ ଭିତରେ ଦିନେ ସବୁ ଭାଇଭଉଣୀ ଏକାଠି ଯୁଟିଥାଆନ୍ତି ।ସାରଦା ଶୋଇ ଥାଆନ୍ତି ଆଖ ବୁଜି ହେଲେ କାନ ଦୁଇଟି ଖୋଲା ଥାଏ । ବଡଝିଅ କହୁଥିଲା ,
- ବୋଉ କାଳେ ଖରାପ ଭାବିବ ବୋଲି ମୁଁ କିଛି ନକହି ପାଖାପାଖି ବର୍ଷେ ହେବ ପାଖରେ ରଖିଲିଣି , ହେଲେ ଆଉ ନୁହେଁ । ସମ୍ପତ୍ତି ବାଡି ସବୁ ଭୋଗିବ  ବୋଉକୁ ରଖିବାକୁ ହେଉନି ?ବଡପୁଅ କହିଲା,
- ମୋର ତ ଦି ବଖରିଆ ଭଡା ଘର ପିଲାଙ୍କ ପଢାପଢି ପାଇଁ ଯାଗା ଅଣ୍ଟୁନି । ପୁଣି ବୋଉ ବିଧବା ଲୋକ,କେତେ ଛିଟା ତାର , ମୁଁ କଣ ଚଳେଇ ପାରିବି ?
ସାନଭାଇ ମଝିଆ ଭାଇକୁ କହିଲା,

 - ତମେ ବୋଉକୁ ଗାଁ କୁ ନେଇଯାଅ ।ସେଠି ତାକୁ ଭଲଲାଗିବ।

- କାଇଁ ତୁ ନେଇ ଯାଉନୁ  !! ମୁଁ ନେବି ଯଦି ସମ୍ପତ୍ତି ସବୁ ଭାଗ କରି ବୋଉର ଗୋଟେ ଅଂଶ ମୋତେ ଆଗ ଦିଅ  ତା ପରେ ଯାଇ ଯାହା ।
(ସାନଝିଅ)-  ବୋଉ ଆଉ କେତେ ଦିନ ବଞ୍ଚିବ ଯେ ଭାଗ ନେଇ ଯିବ ତମେ ?
 ସେହି ମୁହୂର୍ତ୍ତର ନିଃଶ୍ବାସଟା ଶେଷ ନିଃଶ୍ବାସ ହୁଅନ୍ତା କି ବୋଲି  କାମନା କରୁଥିଲେ ସାରଦା ।ମୁଦା ଆଖିତଳୁ  ନିରବରେ  ଗଡିଯାଇଥଲା ଲୁହ ଦୁଇ ଧାର ।ଦଶମାସ ଗର୍ଭ ଯାତନା ସହି, ଛାତିରୁ ଅମୄତ ଦେଇ  ନିଜର ଅଂଶକୁ ମଣିଷ କରି ଉତାରିଥିବା ମା କୁ ସମ୍ପତ୍ତି ଅଂଶରେ ଯେ ତଉଲାଯାଉଛି, ଏହା ସାରଦାଙ୍କ ଅନ୍ତଃସତ୍ତାକୁ  ଦୋହଲାଇ ଦେଇଥିଲା ।
         
     ପିଲାମାନଙ୍କ ଜୀବନରୁ ଦୂରେଇ ଯିବାର ଦୄଢ ନିଷ୍ପତ୍ତି ନେଇ ସମୟ ସୁଯୋଗ ଦେଖି ସେ ଡାକ୍ତରଖାନାରୁ ରୁଗ୍ଣ ଶରୀରେ ଧାଇଁ ଚାଲିଲେ ଲକ୍ଷହୀନ ଭାବେ ।  ଥରଥର ଦେହ ଭିତରୁ ମହଣ ମହଣ କୋହ,ଅୟୁତ ଅବସୋସ, ଅମାପ ଲୁହର ଶ୍ରାବଣ ଝରିପଡୁଥିଲା ତାଙ୍କ ପଥ ସାରା । ବେସାହାରା ମଣିଷର ସଂଘର୍ଷ କହାଣୀରେ ସହଜରେ ଯବନିକା ପଡେନା ।ଅନେକ ବନ୍ଧୁର ପଥ ପରେ ସେହି ଜରାନିବାସ  ବୋଧହୁଏ ଥିଲା ତାଙ୍କର ଶେଷ ଠିକଣା ।କୋଡିଏ ବର୍ଷ ତଳେ ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ସେଠାକୁ ଅଣାଯାଇଥିଲା ।

କଥା ଶେଷ ହେବା ବେଳକୁ ଲୁହ ସବୁ ଶୁଖି ଯାଇଥିଲା ସାରଦାଙ୍କ ଆଖିରୁ, ମାତ୍ର ଲୁହର ଉଜାଣି ବୋହିଥିଲା ନୀତା ଆଖିରେ । କୋହ ମିଶା କଣ୍ଠରେ ସୀମାହୀନ ଉତ୍ସୁକତାରେ ସେ  ପଚାରିଥିଲା,
- ତୁମ ସାନପୁଅ ନାଁ କଣ ଦୀପକ ଆଚାର୍ଯ୍ୟ ?
- ହଁ ଦୀପୁର ନାଁ ତ ଦୀପକ ଥିଲା, ହେଲେ ତୁ ଏକଥା ପଚାରିବାର କାରଣ.....
କଥା ନସରୁଣୁ ଜୋର କରି କରି କୁଣ୍ଢେଇ ଧରି ନୀତା କହିଲା,

- ତୁମେ ମୋରି ଜେଜେମା, ମୁଁ ଦୀପକ  ଆଚାର୍ଯ୍ୟଙ୍କ ଝିଅ , ଯିଏ ନିଜ ମା କୁ ହଜାଇ ଦେଇ ଥିବା କଥା କେବେ କହିବାକୁ ସାହସ କରିନାହାନ୍ତି ।
ଏକ ପ୍ରାଣୋଚ୍ଛଳ ଭାବାବେଗରେ ମା ନାତୁଣୀ ଢେର ବେଳ ହଜିଗଲେ ।  ଲୁହ ପୋଛି ନୀତା କହିଲା,
- ଚାଲ ଏଇ ସଙ୍ଗେସଙ୍ଗେ ମୁଁ ତୁମକୁ  ଘରକୁ ନେଇଯିବି ।

ସାରଦାଙ୍କର ଅରାଜି ଯୋଗୁଁ ନୀତା ଶୀଘ୍ର ଚାଲି ଗଲା  ବାପାଙ୍କୁ ଆଣି ଆସିବା ପାଇଁ ।ନୀତାର ଆବିଷ୍କାରରେ ଆଚମ୍ବିତ ସାରା ପରିବାର   ସଙ୍ଗେ ସଙ୍ଗେ ଧାଇଁଲେ ଜରାନିବାସ ଅଭିମୁଖେ  ।ସାରା ପରିବାର ପହଞ୍ଚିବା ବେଳକୁ ମା ଏକକ କୋଠରୀଟିରେ ବସିଥାନ୍ତି ସ୍ଥାଣୁ ହୋଇ । ତାଙ୍କର  ମୁହଁରେ ଉଲ୍ଲାସ ନଥିଲା କି ଉତ୍ସାହ ନଥିଲା । ପିଲାମାନେ ଆସି ଚରଣ ସ୍ପର୍ଶ କରିବାବେଳକୁ ସେ ଟଳି ପଡିଲେ ସେଇଠି । ।


Comments

Popular posts from this blog

ଭାରତ ମହାନ୍ ( Great India )

Most Intelligent Group Photo

Indian Political History