ଅଭିମାନର ଭାଷା
----------------------------

------------[ ଆମରି କଥା ]--------------
 
       ଘନିଷ୍ଠ ସମ୍ପର୍କର ଅଳଙ୍କାର ହେଲା ଅଭିମାନ।  ଏହି ଅଭିମାନଟି କାହା ସହିତ ନଥାଏ କିମ୍ବା ଏହା କାହା ସହିତ ସମାନ ମଧ୍ୟ ନୁହେଁ। ଅନେକ ଭାବନ୍ତି ସ୍ନେହ, ଶ୍ରଦ୍ଧା, ନିଗୁଢ଼ ସମ୍ପର୍କ, ପ୍ରେମ ଓ ପ୍ରଣୟ ଇତ୍ୟାଦି ସହିତ ଅଭିମାନଟି ସମାନ ଓ ଏମାନଙ୍କ ପାଖାପାଖି ଥାଏ। କିନ୍ତୁ ଏହା ପ୍ରକୃତରେ କୌଣସିଟି ସହିତ ନଥାଏ ।ଏହି ଆବେଗ ଗୁଡ଼ିକର ଅନୁପସ୍ଥିତି ଓ ଅସୀମ ବହୁଳତା ବେଳେ ଅଭିମାନ ଆତ୍ମପ୍ରକାଶ କରେ।
       ଅଭିମାନ ନିରବ ଭାବରେ ନିରବତା ନୁହେଁ। ଅବ୍ୟକ୍ତ ଭାବରେ ବ୍ୟକ୍ତ କରାଯାଉଥିବା କେତେ ଗୁଡ଼ିଏ କଥା। ସବୁଠାରେ ଅଭିମାନ କିଛିନା କିଛି ବ୍ୟକ୍ତ କରୁଥାଏ। ଅଭିମାନୀ ଲୋକଟି ନିରବ ଥାଏ। କିଛି କହୁନଥାଏ। ମୁହଁଟି ତା'ର ଶୁଖିଯାଇଥାଏ। ପଚାରିଲେ କହେ - କାହିଁ  ? ନାଁ ତ ମୋର କିଛି ହୋଇନି। ଏମିତି ମନଟା ଟିକେ ଭଲନାହିଁ। ହେଲେ କାହା ବିରୁଦ୍ଧରେ ମୋର କିଛି ଅଭିଯୋଗ ନାହିଁ। ଆପଣ ଭାବୁଛନ୍ତି କି ସେ ମୋତେ ପରିତ୍ୟାଗ କରିବାରୁ ମୁଁ ଦୁଃଖ ଅନୁଭବ କରୁଛି  ? ସେ କଥା ଠିକ୍ ନୁହେଁ। ମୁଁ ଯେପରି ଲୋକ, ମୋ ପାଇଁ ତାଙ୍କ ବ୍ୟବହାର ଠିକ୍ ଅଛି। ମୁଁ ମାତ୍ରାଧିକ ଭାବରେ ତାଙ୍କୁ ଭଲପାଇ ଭୁଲ କରିଛି। ମୋ ଭୁଲ ପାଇଁ ମତେ ଦଣ୍ଡ ମିଳିବା ଉଚିତ। ତେଣୁ ସେ ମୋତେ ତ୍ୟାଗକରି ଠିକ୍ ଦଣ୍ଡ ଦେଇଛନ୍ତି। ଏଥିରେ ତାଙ୍କର କିଛି ଭୁଲ ନାହିଁ। ସେ ବହୁତ ଭଲ ଲୋକ। କସ୍ମିନକାଳେ ମୁଁ ତାଙ୍କୁ ଦୋଷୀ ବୋଲି କହିପାରିବି ନାହିଁ।
      ଏସବୁ ଅଭିମାନର କଥା। ଏଗୁଡ଼ିକ ପ୍ରକୃତ କଥା ନୁହେଁ। ପ୍ରକୃତ କଥା ତାଙ୍କ ନିରବତା ଭିତରେ ଲୁଚି ରହିଛି। ନିରବତା କହେ - ତୁମେ
ଏତେ ନିଷ୍ଠୁର  !  ମୋ ପରି ଗୋଟେ କୋମଳମତି ମନକୁ ବୁଝିପାରିଲ ନାହିଁ। ମୁଁ  ତୁମକୁ ତ ବହୁତ ଭଲ ପାଏ। ତୁମ ପାଇଁ ସର୍ବସ୍ୱ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛି। ଅଥଚ ତୁମେ....
     କଥାଟିକୁ ତ ବାରମ୍ବାର କୁହାଯାଇ ପାରିବ ନାହିଁ। ବାରମ୍ବାର କହିଲେ କଥାଟା ଶସ୍ତା ହୋଇଯିବ। ତେଣୁ ତୁମେ ମୋ ଭିତରୁ ଏତିକ କଥାକୁ  ଅନୁଭବ କରିବା ଉଚିତ। ଦୀର୍ଘ ଦିନର ସମ୍ପର୍କ ହେତୁ ତୁମେ ହିଁ ମତେ ସବୁଠାରୁ ଭଲଭାବରେ ଚିହ୍ନିଛ। ମୋର ଭାବ, ଆବେଗ ଓ ମୁହଁ ପଛରେ କ'ଣ ଅଛି ସେ କଥା ଜାଣିପାର। ଆଜି କାହିଁକି ଜାଣିବା ପାଇଁ ଚେଷ୍ଟା କରୁନାହଁ। ସେଥିପାଇଁ ମୁଁ ଦୁଃଖ ପାଉଛି।
      ଅଭିମାନର ନିରବତା ଭିତରେ ଏହିପରି କଥାମାନ ଲୁଚି ରହିଥାଏ। ଏହା ଲୁଚିରହିବା କଥା ନୁହେଁ। ଏହାକୁ ମଣିଷର ମନଭିତରୁ ବାହାର କରାଯିବା ଉଚିତ। ଆମର ଏହା ଏକ ଦାୟିତ୍ବ। ବହୁ ପୁରାତନ କାଳରେ ଅଭିମାନକୁ ଅଧିକ ସମ୍ମାନ ଦିଆଯାଉଥିଲା। ଅନେକ ରାଜା ମହାରାଜା ମାନଙ୍କର ପ୍ରାସାଦ ମଧ୍ୟରେ ଅଭିମାନ ପ୍ରକଟ ପାଇଁ ଗୋଟିଏ ଗୋଟିଏ ପ୍ରକୋଷ୍ଠ ତିଆରି କରାଯାଉଥିଲା। ଧନୀ, ସାହୁକାର, ଜମିଦାର ଘରର ଅଲିଅଳ ଝିଅମାନେ ମୂଷାମାଟି, ବିରାଡ଼ି ମଳରେ ଅପରିଷ୍କାର ହୋଇଥିବା ଗୋଟେ ଅଦରକାରୀ ଘରେ ଅଭିମାନ କରି ବସିରହନ୍ତି। ଏହି ଅଭିମାନର ଖବର ରାଜା ବା ଜମିଦାରଙ୍କ ପାଖରେ ଦାସ ଦାସୀଙ୍କ ଜରିଆରେ ପହୁଞ୍ଚାଯାଏ।
        ତା'ପରେ ସେହି ପରିବାରର ମୁରବୀମାନେ ଅଭିମାନ ଭଞ୍ଜନ ଅଭିଯାନରେ ବାହାରନ୍ତି। ସାଙ୍ଗରେ ବାଛି ବାଛି ଲୋକଙ୍କୁ ନିଅନ୍ତି।ଯେଉଁମାନଙ୍କ କଥାରେ ରାଜକୁମାରୀ ଙ୍କ ଅଭିମାନ ଭାଙ୍ଗିବାର ସମ୍ଭାବନା ଅଧିକ ଥାଏ , ଏ ଅଭିଯାନରେ ସେଇମାନଙ୍କୁ ସାମିଲ କରାଯାଏ। ଖୋସାମତି କରି ଅଭିମାନିନୀଙ୍କ ମନରୁ ଗୁପ୍ତ କଥାଟିକୁ ବାହାରକୁ ଅଣାଯାଏ। ଏ ପର୍ଯ୍ୟନ୍ତ ତାଙ୍କ ଅଭିମାନକୁ ସମ୍ମାନ ଦିଆଯାଇ ପାରିନଥିବାରୁ କ୍ଷମା ମଗାଯାଏ ଏବଂ ତାଙ୍କର ସମସ୍ତ ଦାବି ପୂର୍ଣ୍ଣ କରାଯିବାକୁ ପ୍ରତିଶ୍ରୁତି ଦିଆଯାଏ।
      ଖୋଲାଖୋଲି ଦାବି ଠାରୁ ଅଭିମାନ ଅଧିକ ଶକ୍ତିଶାଳୀ। ତେଣୁ ଅଭିମାନକୁ ଅଧିକ ସମ୍ମାନ ଦିଆଯାଇଥାଏ। ଏହା ହିଁ ପୁରୁଣା ସମୟରୁ ଚାଲିଆସିଛି। ଆଜିକାଲି ମଧ୍ୟ ଅଭିମାନ ଅଛି। ଅଭିମାନ ପ୍ରକଟିତ ହେଉଛି। ପୂର୍ବଭଳି କିନ୍ତୁ ତାକୁ ସେପରି ସମ୍ମାନ ମିଳୁନାହଁ। ଓଲଟା ଶାସନ ମାଧ୍ୟମରେ ତାକୁ ଚାପି ଦିଆଯାଉଛି। ଅନେକ ଅଭିମାନକୁ ହେୟଜ୍ଞାନ କରାଯାଉଛି। ସେଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ।
       ଏବେ ତ ଆମେ ଅନେକ ଉନ୍ନତି କରିସାରିଲେଣି। ସବୁକଥା ତତକ୍ଷଣାତ ବୁଝିପାରୁଛୁ। କିନ୍ତୁ ମଣିଷ ମନର ଅଭିମାନଟିକୁ ବୁଝିବା ପାଇଁ ଅକ୍ଷମ ହେଉଛନ୍ତି। କେତେକ ସ୍ଥଳରେ ଏଡ଼େଇ ଯାଉଛନ୍ତି ଓ  ବୁଝିବାପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି।
     ପ୍ରାଚୀନ କାଳର ଲୋକେ ସେତିକି ବୁଝି ପାରୁଥିଲେ। ଅଭିମାନକୁ ପ୍ରାଥମିକତା ଦେଉଥିଲେ। ନିରବତାର ଭାଷାକୁ ପଢ଼ିପାରୁଥିଲେ। ସେଥିପାଇଁ ଯେଉଁ ଜ୍ଞାନ ଆବଶ୍ୟକ ହେଉଥିଲା ତାହା ତାଙ୍କ ପାଖରେ ଥିଲା। କିନ୍ତୁ ଆମଠାରୁ ସେ ଜ୍ଞାନର ପରିମାଣଟା ହ୍ରାସ ପାଇ ଚାଲିଛି। ଅର୍ଥାତ୍ ମଣିଷ ଜୀବନର କ୍ରମବିକାଶ ବଦଳରେ କିଛିବର୍ଷ ହେବ କ୍ରମବିନାଶ ହୋଇ ଚାଲିଛି।
ଅନୁପମଭାରତ

Comments

Popular posts from this blog

ଭାରତ ମହାନ୍ ( Great India )

Most Intelligent Group Photo

Indian Political History