ପବିତ୍ର ଗଣେଶ ଚତୁର୍ଥୀ ଉତ୍ସବ

ପବିତ୍ର_ଗଣେଶ_ଚତୁର୍ଥୀ_ଉତ୍ସବ




ଗଣେଶ ବା  ତାମିଲରେ ପିଲ୍ଲାଇୟାର ହେଉଛନ୍ତି ସବୁଠାରୁ ଅଧିକ ପୂଜିତ ହିନ୍ଦୁ ଦେବତା । ସେ ମହାଦେବ ଶିବ ଓ ଦେବୀ ପାର୍ବତୀଙ୍କର ସାନ ପୁଅ ଓ କାର୍ତ୍ତିକେୟଙ୍କର ସାନ ଭାଇ । ତାଙ୍କର ବାହନ ମୂଷିକ । ଗଣେଶଙ୍କର ପ୍ରତିକୃତି ଭାରତ ଓ ନେପାଳରେ ସର୍ବତ୍ର ପରିଦୃଷ୍ଟ ହୁଏ। ହିନ୍ଦୁମାନେ ଜାତି, ଭାଷା, ବର୍ଣ୍ଣ ନିର୍ବିଶେଷରେ ଗଣେଶଙ୍କୁ ପୂଜା କରିଥାନ୍ତି। ଏପରିକି ଜୈନ, ବୁଦ୍ଧ ଓ ଅଣଭାରତୀୟମାନେ ମଧ୍ୟ ଗଣେଶଙ୍କ ଉପାସନା କରିଥାନ୍ତି।  ଶାସ୍ତ୍ରରେ ୩୨ ପ୍ରକାର ଗଣେଶଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ।

ଅନେକ ବିଶେଷତ୍ୱ ମଧ୍ୟରୁ ଗଣେଶ ତାଙ୍କର ହାତୀ ମୁଣ୍ଡ ଯୋଗୁ ସ‌ହଜରେ ଚିହ୍ନା ପଡ଼ନ୍ତି ।  ବିଘ୍ନ ନାଶକ ରୂପେ ସେ ସର୍ବତ୍ର ପୂଜିତ ହୁଅନ୍ତି । କଳା, ବିଜ୍ଞାନର ଓ ବୁଦ୍ଧିମତ୍ତାର ଦେବତା ଓ ସଂରକ୍ଷକ ରୂପେ ସେ ପରିଚିତ ।  ଆଦି ଦେବତା ହିସାବରେ ପ୍ରତ୍ୟେକ ଶୁଭ କାର୍ଯ୍ୟ, ପୂଜା, ଲେଖାପଢ଼ା ଓ ଧାର୍ମିକ କ୍ରିୟା ଆରମ୍ଭରେ ତାଙ୍କର ଆବାହ‌ନ କରାଯାଏ ।

ଗଣେଶଙ୍କ ପରିଚୟ
#ମନ୍ତ୍ର : ଗଂ ଗଣପତୟେ ନମଃ, ଗଣେଶାୟ ନମଃ
#ଶସ୍ତ୍ର : ପରଶୁ, ପାଶ, ଅଂକୁଶ
#ପତ୍ନୀ : ୧. ରିଦ୍ଧି, ୨. ସିଦ୍ଧି (କେହି କେହି ବୁଦ୍ଧିଙ୍କୁ ମଧ୍ୟ ଗଣେଶଙ୍କ ପତ୍ନୀ ବୋଲି କହିଥାନ୍ତି)
ଦକ୍ଷିଣ ଭାରତୀୟ ପରମ୍ପରାରେ ଗଣେଶଙ୍କୁ ବ୍ରହ୍ମଚାରୀ ରୂପରେ ଚିତ୍ରିତ କରାଯାଇଛି।
#ବାହନ : ମୂଷିକ
#ପିତା : ଭଗବାନ ଶିବ
#ମାତା : ଭଗବତୀ ପାର୍ବତୀ
#ଭାଇ : ଶ୍ରୀ କାର୍ତ୍ତିକେୟ
#ପୁରାଣ : ଗଣେଶ ପୁରାଣ,ମୁଦ୍ଗଲ
#ପୁରାଣତୀର୍ଥକ୍ଷେତ୍ର : ଅଷ୍ଟବିନାୟକ

ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ ଦାନ ଦେଲେ। ପାର୍ବତୀ ଏହାଙ୍କୁ ଦ୍ଵାର ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ ନ କରେଇବା ପାଇ ଆଦେଶ ଦେଇ ସ୍ନାନ କରିବାକୁ ଗଲେ । ଠିକ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ ପାରି ବାଟ ଛାଡ଼ିଲେ ନାହିଁ । ମହାଦେବ ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ କ୍ରୋଧ ଜର୍ଜରିତ ହୋଇ ଶିର ଚ୍ଛେଦନ କଲେ । ପରେ ପାର୍ବତୀଙ୍କ ନିକଟରୁ ଏହାଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଅଛି । ମହାଦେବ ମୁଣ୍ଡ ଖୋଜି ନ ପାଇ ଉତ୍ତରଦିଗକୁ ମୁଣ୍ଡକରି ଶୋଇଥିବା ଗୋଟିଏ ହାତୀର ମୁଣ୍ଡକୁ କାଟି ଆଣି ଏହାଙ୍କ ଗଣ୍ଡିରେ ଯୋଡ଼ି ଜୀବନ ଦାନ କଲେ । ଏ ମହାଦେବଙ୍କ ପ୍ରମଥ ଗଣର ସେନାପତି। ପୌରାଣିକ ମତେ ଗଣେଶ ବ୍ୟାସୋକ୍ତ ମହାଭାରତର ଲେଖକ। ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ଦିନ ଗଣେଶଙ୍କର ସ୍ଵତନ୍ତ୍ର ପୂଜା ହୁଏ । ରକ୍ତ ଚନ୍ଦ୍ର, ରକ୍ତ ପୁଷ୍ପରେ ଏହାଙ୍କୁ ପୂଜା କରାଯାଏ । ଏହାଙ୍କର ଗଜମସ୍ତକ, ଏକଦନ୍ତ, ଥନ୍ତଲ ପେଟ ଓ ସାପ ପଇତା । ଏହାଙ୍କର ବାହନ ମୂଷା ।

ଗଣେଶଙ୍କ ନାମ
କେତୋଟି ପ୍ରସିଦ୍ଧ ନାମ ଓ ତା’ର ଅର୍ଥ
#ଗଣପତି : ଗଣ ବା ଲୋକଙ୍କର ଦେବତା ବା ଗଣଦେବତା ।

ଗଜାନନ: ଗଜ ବା ହାତୀ ମୁଣ୍ଡ ଥିବା ଦେବତା ଗଜାନନ । ଶରୀର ମଣିଷର ମସ୍ତକ ହାତୀର । ଶାସ୍ତ୍ରରେ କୁହାଯାଇଛି ଉଭୟ ମଣିଷ ଓ ହାତୀର ଆୟୁ ୧୨୦ ବର୍ଷ । ଉଭୟର ଗୁଣକୁ ଏକାଠି ହେଲେ ମଣିଷ ସଫଳ ହେବ । ତେଣୁ ଗଣେଶ ନିଜେ ଏହି ରୂପ ଧାରଣ କରିଛନ୍ତି । 'ଗ'ର ଅର୍ଥ ମୋକ୍ଷ ପ୍ରାପ୍ତି ପାଇଁ ସମାଧିରେ ଥିବା ଯୋଗୀ । 'ଜ'ର ଅର୍ଥ ଜୀବନ ପ୍ରତି ସାଂସାରିକ ଦୃଷ୍ଟିକୋଣ । ଅର୍ଥାତ୍ ସଂସାର ଭିତରେ ମୋକ୍ଷ ପ୍ରାପ୍ତ ସମ୍ଭବ କରାଇପାରନ୍ତି ଗଜାନନ।

ବିନାୟକ: ଗଣେଶଙ୍କର ଏହିନାମର ଅର୍ଥ ବିଶେଷ ନାୟକ । ଏହାର ଅନ୍ତର୍ନିହିତ ଅର୍ଥ ହେଉଛି ଯେତେବେଳେ ପ୍ରିୟବଚନ ବା ପ୍ରାର୍ଥନା ଦ୍ଵାରା ଗଣେଶଙ୍କୁ ସନ୍ତୁଷ୍ଟ କରାଯାଏ ତେବେ ସେ ଭକ୍ତର ରାସ୍ତାରେ ଥିବା ସବୁ ବାଧା ଦୂର କରନ୍ତି । ଅର୍ଥାତ୍ ଭକ୍ତର ଜୀବନରେ ଥିବା ବିପର୍ଯ୍ୟୟ, ସବୁ ଅମଙ୍ଗଳ, ସବୁ ବାଧା ଦୂରେଇ ଦିଅନ୍ତି ।

ଲମ୍ବୋଦର: ଲମ୍ବା ଉଦର ବା ବଡ଼ ପେଟ ଥିବାରୁ ତାଙ୍କୁ ଲମ୍ବୋଦର ବୋଲି କୁହାଯାଇଥାଏ । କିନ୍ତୁ ପ୍ରକୃତ ଅର୍ଥରେ ଲମ୍ବୋଦର ତାଙ୍କୁ ହିଁ କୁହାଯାଏ ଯିଏ ସବୁକିଛି ଭଲ ବିଦ୍ୟା ଗ୍ରହଣ କରିପାରନ୍ତି ଏବଂ ସାଇତି ପାରନ୍ତି। ଗଣେଶ ପାର୍ବତୀଙ୍କ ନୁପୂରର ଶବ୍ଦଶୁଣି ସଙ୍ଗୀତ ଶିଖୁଥିଲେ । ପିତା ଶିବଙ୍କ ଡମ୍ବରୁର ଶବ୍ଦଶୁଣି ଚାରିବେଦ ଆୟତ କରିଥିଲେ । ତାଙ୍କର ଏହି ବିଶାଳ ବିଦ୍ୟାର ଭଣ୍ଡାର ହେଉଛି ତାଙ୍କର ପେଟ।
ଏହି କାରଣରୁ ତାଙ୍କ ପେଟ ଖୁବ୍ ବଡ।

★ସୁମୂଖ,★ବିଘ୍ନହର୍ତ୍ତା,★ବିଘ୍ନହର,★ଧୂମ୍ରକେତୁ,★ଗଣାଧ୍ୟକ୍ଷ,★ଲାଲଚନ୍ଦ୍ର,★ଏକଦନ୍ତ,★ବ୍ରହ୍ମଣସ୍ପତୀ,★ମୟୁରେଶ୍ୱର,★ବକ୍ରତୁଣ୍ଡ,★ବିଘ୍ନେଶ୍ୱର,★ଶୂପକର୍ଣ୍ଣ- ଶାସ୍ତ୍ର ମତରେ ଗଣେଶଙ୍କ ଦ୍ୱାଦଶନାମ

★ଏକଦନ୍ତ ★କୃଷ୍ଣପିଙ୍ଗାକ୍ଷ ★ଗଣପତି ★ଗଜବକ୍ର ★ଗଜାନନ ★ବକ୍ରତୁଣ୍ଡ ★ବିକଟବିଘ୍ନରାଜେନ୍ଦ୍ର ★ବିନାୟକ ★ଧୂମ୍ରବର୍ଣ୍ଣ ★ଭାଲଚନ୍ଦ୍ର ★ଲମ୍ବୋଦର ନାମର ବିଶେଷତା

ଶ୍ରୀଗଣେଶ ଗଜାନନ ରୂପରେ ହିଁ ସର୍ବତ୍ର ପରିଚିତ।  ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ। ଆଉମଧ୍ୟ ସେ ଆଦ୍ୟ ପୂଜିତ ଓ ବିଘ୍ନେଶ।  ତା ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା। ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ।

ଅବତାର
ଗଣେଶ ଆଦିଦେବ ଭାବରେ ପରିଚିତ।ସେ ସବୁଯୁଗରେ ଅବତାର ନେଇଥିବାର କୁହାଯାଏ।
ସତ୍ୟ ଯୁଗରେ ଋଷି କଶ୍ୟପ ଓ ଅଦିତିଙ୍କ ଘରେ  ମହଙ୍କତ ବିନାୟକ ରୂପରେ ଜନ୍ମ ନେଇ ଦେବାନ୍ତକ ଓ ନରାନ୍ତକ ନାମକ ରାକ୍ଷସଙ୍କୁ ବଧ କରିଥିଲେ।ତ୍ରେତୟା ଯୁଗରେ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀରେ ଉମାଙ୍କ ଘରେ ଜନ୍ମି,ଗଣେଶ ରୂପରେ ଜନ୍ମିସିନ୍ଧୁ ନାମକ ରାକ୍ଷସକୁ ବଧ କରିବା ସହ ବ୍ରହ୍ମାଙ୍କ ପୁତ୍ରି ଦ୍ଵୟ ରିଦ୍ଧି ଓ ସିଦ୍ଧିଙ୍କୁ ବିବାହ କରିଥିବାର ପୁରାଣରେ ବର୍ଣ୍ଣିତ।ଦ୍ଵାପର ଯୁଗରେ ଗଣେଶ ରୂପରେ ପାର୍ବତୀଙ୍କ ପୁତ୍ର ଭାବରେ ପୁରାଣରେ ବର୍ଣ୍ଣିତ।କଳି ଯୁଗରେ ଭବିଷ୍ୟ ପୁରାଣ ଅନୁସାରେ ଧୁମ୍ରକେତୁ ରୂପରେ ଅବତାର କଥାବର୍ଣ୍ଣିତ ଅଛି।ବାସ୍ତୁଶାସ୍ତ୍ରରେ ଗଣେଶ

ପ୍ରଥମପୂଜ୍ୟ_ଶ୍ରୀଗଣେଶ

ନୂତନ ଘରେ ପ୍ରବେଶ ହେଉ ଅବା ଶୁଭ କାର୍ଯ୍ୟ , ସର୍ବ ପ୍ରଥମେ ଲୋଡା ହୁଅନ୍ତି ସେ। କାରଣ ତାଙ୍କୁ ପୂଜା କଲେ ସବୁକିଛ୍ଗି ମଙ୍ଗଳ ହୋଇଥାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ସ୍ଥାନ ଖୁବ ଗୁରୁତ୍ଵପୂର୍ଣ୍ଣ। ଏହାକୁ ଅନୁସରଣ କରି ପ୍ରଭୁଙ୍କ ପ୍ରତିମାର ଠିକ ସ୍ଥାପନ କରି ପାରିଲେ ଘରକୁ ସୁଖସମୃଦ୍ଧି ଆସିଥାଏ।

ଯଦି ଘରର ମୂଖ୍ୟ ଦ୍ଵାର ଦକ୍ଷିଣ ଦିଗକୁ ଖୋଲୁଥାଏ, ତେବେ ସେହି ଦ୍ଵାରର ଉପରେ (ତାହା ଘର ଭିତରେ ହେଉ ଅବା ବାହାରେ) ଗଣେଶଙ୍କର ଛୋଟିଆ ପ୍ରତିମା ଲଗାଇଲେ ଘରର ଦକ୍ଷିଣମୁଖୀ ଦୋଷ କଟିଯାଏ।ଘରେ ପ୍ରବେଶ କରିବା ମାତ୍ରେ ଯଦି କିଛି ଅଜଣା ନକାରାତ୍ମକ ଭାବ ଉତ୍ପନ ହେଇଥିବା ମନେହୁଏ ତେବେ ଘରଭିତରେ ପ୍ରବେଶ ଦ୍ଵାରକୁ ମୁହଁ କରି ଅନାଇବା ଭଳି ୯ ଇଞ୍ଚର ଏକ ଗଣେଶ ପ୍ରତିମା ସ୍ଥାପନା କରିବା ଭଲ।

ଘରର ଯେ କୈଣସି ଦିଗରେ ଭଗବାନ ଗଣେଶଙ୍କ ପ୍ରତିମା ସ୍ଥାପନା କରିବା ଉଚିତ ନୁହେଁ। ବରଂ ଗଣେଶଙ୍କ ଫୋଟ ଓ ପ୍ରତିମାକୁ ଏଭଳି ରଖିବା ଜରୁରୀ ଯେମିତିକି ତାଙ୍କୁ ପ୍ରଣାମ କରିବା ବେଳେ ଆମର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗକୁ ରହିବ। ଅର୍ଥାତ୍ ଶ୍ରୀଗଣେଶଙ୍କ ମୁଖ ସର୍ବଦା ଦକ୍ଷିଣ କିମ୍ବା ପଶ୍ଚିମାଭିମୁଖୀ ରହିବା ଉଚିତ।

ଘରର ମଧ୍ୟଭାଗ ଅର୍ଥାତ ବ୍ରହ୍ମାସ୍ଥଳରେ ତୁଳସୀ ଗଛ ସହିତ ଶ୍ରୀଗଣେଶଙ୍କ ପୂଜା କଲେ ସମ୍ପୁର୍ଣ୍ଣ ଘରକୁ ସକାରାତ୍ମକ ଊର୍ଜା ମିଳିଥାଏ।ଘରେ ଶ୍ରୀଗଣେଶଙ୍କର ବସିଥିବା ତଥା ଆଶୀର୍ବାଦ ଦେଉଥିବା ପ୍ରତିମା ପୂଜା କରିବାବେଳେ ବ୍ୟବସାୟିକ ପରିସରରେ ଭଗବାନଙ୍କର ଅନ୍ୟ ମୁଦ୍ରାର ପ୍ରତିମା ତଥା ଫୋଟ ରଖିବା ଭଲ।ଶ୍ରୀଗଣେଶଙ୍କର ଫୋଟ କିମ୍ବା ମୂର୍ତ୍ତି ଏପରି ସ୍ଥାନରେ ରଖନ୍ତୁ ନାହିଁ ଯାହାର ପଛପଟେ କିମ୍ବା ଆଗରେ ଶୌଚାଳୟ ଥିବ।

ମୂଖ୍ୟପର୍ବ_ଗଣେଶ_ଚତୁର୍ଥୀ-

ବିକ୍ରମ ସଂବତର ଭାଦ୍ରବ ଶୁକ୍ଳ ଚତୁର୍ଥୀରେ ପାଳନ କରାଯାଏ। ଏହି ଶୁଭଦିନକୁ ହିନ୍ଦୁଧର୍ମରେ ଗଣେଶଙ୍କ ଜନ୍ମ ଦିନ ଭାବେ ପାଳନ କରାଯାଏ। ସଂସ୍କୃତ,ତାମିଲ,କନ୍ନଡ଼ ଓ ତେଲୁଗୁ ଭାଷାରେ ବିନାୟକ ଚତୁର୍ଥୀ ବା ବିନାୟକ ଚବିଥି,କୋଙ୍କଣୀ ଭାଷାରେ ବିନାୟକ ଚବଥ ଏବଂ ନେପାଳୀରେ ବିନାୟକ ଚଥା ଭାବରେ ପ୍ରଚଳିତ।ଏହି ପର୍ବ ଦଶଦିନ ଧରି ଚାଲେ ଓ ଅନନ୍ତ ଚତୁର୍ଥୀରେ ପୂର୍ଣ୍ଣ ହେଇଥାଏ।

ଓଡ଼ିଆ ବ୍ରତରେ ଗଣେଶ

ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ଦିନ ବିନାୟକ ବ୍ରତ ପାଳିତ ହୁଏ। ବିନାୟକ ବ୍ରତକଥାରେ ଉଲ୍ଲେଖ ରହିଛି ଯେ ଏହି ବ୍ରତର ମାହାତ୍ମ୍ୟ ସ୍କନ୍ଧ ପୁରାଣରେ ବର୍ଣିତ। ଗୋମତୀ ନଦୀ କୂଳରେ ସୂତ ମୁନି ଅନ୍ୟ ଋଷିମାନଙ୍କର ଜିଜ୍ଞାସାକୁ ପ୍ରଶମନ କରି ବିନାୟକ ବ୍ରତ ପାଳନ କଲେ ମନୁଷ୍ୟମାନେ କାର୍ଯ୍ୟସିଦ୍ଧି, ଅର୍ଥପ୍ରାପ୍ତି, ସୁତ-ସୌଭାଗ୍ୟ-ସଂପଦ ଲାଭ କରି ପାରିବେ ବୋଲି ବୟାନ କରିଛନ୍ତି। ଏହି ବ୍ରତର ବିଧିବିଧାନ ସ୍ୱୟଂ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଛନ୍ତି। ଏହି ବ୍ରତ ପାଳନ କରି ଯୁଧିଷ୍ଠିର ରାଜ୍ୟ ଫେରି ପାଇଥିଲେ। ସେଥିପାଇଁ ଗଣପତିଙ୍କର ନାମ ସିଦ୍ଧି ବିନାୟକ।

Comments

Popular posts from this blog

ଭାରତ ମହାନ୍ ( Great India )

Most Intelligent Group Photo

Indian Political History